କେଦାର ମିଶ୍ର

ମୁରଲୀ ମେହେର ବଇଁଶୀ ବଜାଇବାର ମୁଁ ଦେଖିଛି
ତେଲନଦୀ - ମହାନଦୀର ସଙ୍ଗମ ସ୍ଥଳରେ ।

ଧୂଳିମିଶା ପବନରେ ଭାସି ଆସୁଥାଏ
ପାଗଳା ବଂଶୀର ଗହ ଗହ ସୁର
ଦୂର ଦୂର ଯାଏ ଧଳାମେଘ
ନାଚିଲା ପରି ଲାଗନ୍ତି
ଲାଗେ, ନଦୀର ସ୍ରୋତ ବି
କାନ ଡେରି ଶୁଣୁଛି ବଂଶୀର ଗୀତ । ।

ମୁରଲୀ ମେହେର ବଂଶୀ ବଜାଏ
ଶୀତରେ ଫାଟିଯାଇଥିବା ଓଠରେ ।

ପଲାଶବଣରେ ଶୋଇପଡିଥିବା ଅନ୍ଧାର
ପାଉଁଜି ପିନ୍ଧି ଓହ୍ଲାଇ ଆସେ
ନଈବାଲିକୁ
ପବନରେ ସଞ୍ଚରି ଯାଏ
ଗୀତ ଆଉ ନାଚର ରୋମାଞ୍ଚ । ।

ସତ୍ୟ, ମୂରଲୀ ମେହେରର ପାଗଳା ବଂଶୀଗୀତ
ମାୟା, ନଈବାଲିରେ ତାମସୀ ବାଳିକାର ନାଚ
ସତ୍ୟ, ଯୁଗଳବନ୍ଦୀରେ ଗଢା ହୋଇଥିବା
ଏଇ ଜଗତ
ମାୟା, ଏକା ଏକା ମରିଯାଇଥିବା
ବଂଶୀ ଆଉ ପାଉଁଜିର ଗପ । ।

ମୂରଲୀ ମେହେର ଉଠିଆସେ
ତପସ୍ୟାରୁ,ଗୀତର ତନ୍ମୟତାରୁ
ଗୋଟେ କଳାରଙ୍ଗର କୁକୁର
ଖାଇଯାଉଥାଏ ମୂରଲୀ ମେହେର
ମାଗି ଅ ।ଣିଥିବା ଭାତ
ବଇଁଶୀ ଉଠାଏ ମୂରଲୀ ମେହେର
ଶଳା, ହାରାମ୍ଜାଦା କହି ବଇଁଶୀରେ
ବାଡ଼େଇ·ଲେ କଳା କୁକୁରକୁ । ।

ବଂଶୀମାଡ଼ରେ ଭୋ ଭୋ
ଗୋଟେ କଳାକୁକୁରର କାନ୍ଦ
ଫଟା ବଇଁଶୀରେ ନୀରବ
ମୂରଲୀ ମେହେରର ବିଷାଦ । ।

ଅପେକ୍ଷା କରନ୍ତୁ ବନ୍ଧୁଗଣ!

ପୁଣିଥରେ ମୂରଲୀ ମେହେର ଫେରିବ ବଇଁଶୀ ପାଖକୁ
ତାକୁ ନେଇ ମୁଁ ଇତିହାସରେ
ଲେଖିବି
କବିତାର ଶେଷତମ ପଦ ।

ଯେଉଁଠି କବିତା ଗୋଟେ
କଳା କୁକୁରର ଭୋ ଭୋ
ଏବଂ ଫଟା ବଈଁଶୀର ବିଷାଦ ।

© Kedar Mishra
Producción de Audio: Goethe Institut, 2016