ଗପ

ଗୋଟେ ଗପ କହିବି 
ଯୋଉ ଗପରେ ତମ ଓ ମୋ ଛଡ଼ା 
ଆଉ କିଛି ନାହିଁ 

ସେ ଗପରେ ମୁଁ ଅଛି 
ଓ ତମେ ଅ ।ସି ଫେରିଯାଇଥିବାର 
ସାମାନ୍ୟ ସଂକେତ ଅଛି 
ସେ ଗପର ପୃଷ୍ଠଭୂମିରେ 
ମୋର କପାଳ ଦିଶୁଛି 
ଉତ୍ତାପ ମରିନଥିବା ପାଉଁଶ ପରି 
ଆଉ ତମର ଅନୁପସ୍ଥିତି 
ସତେ ଅବା ସଦ୍ୟ କଟାଯାଇଥିବା 
ବଗଗଛର ଉଦାସୀ ଶୂନ୍ୟତା । 

କାହାକୁ ଗପ କହୁଛି, ବସି ବସି ଭାବୁଛି 
ଧମନୀରେ ବୋହୁଥିବା ରକ୍ତ 
ଗୋଟେ ଲୋହିତ ନଦୀର ଶତଧାରା 
ତମେ ଫେରି ଆସୁଛ ସମୁଦ୍ରରୁ ଉଜାଣି ସୁଅ 
ତମେ ଆଖି ଚକ୍ ଚକ୍ ରୁପାର ଇଲିସି 
ମୋତେ କହୁଛି - କୁହ, ଆମର ଗପ କୁହ । । 

ଗପର ଆରମ୍ଭରେ  ଅନ୍ଧାର ଯେ ଅନ୍ଧାର 
ଗପର ବଖରା ସାରା ଲୁହା କଣ୍ଟା, କାଚ ଗୁଣ୍ଡ 
ଛାପା ଛାପା ରକ୍ତଚିତ୍ର, ମଲା ପାରା ଓ ମୟୂରଙ୍କ ପର 
ଗପ ଭିତରେ ଗହନ ବନ, ବାଟବଣା ଲହ 
ମାଡ଼ିଥିବା ଭାଗ୍ୟ 
ଗପ ଭିତରେ ଘନଘୋର କଳିତକରାଳ । । 

ମୁଁ ଗପ କହୁଛି ଅବା ପାଲଟି ଯାଉଛି ଗପ 
ତମେ ଗପ ଶୁଣୁଛ ଅବା ଗପ ଭିତରେ 
ପାଲଟି ଯାଉଛ ଅଂଧାର ଓ ପାପ 
ଏବେ ଲାଗୁଛି ଅ ।ମର ମିଳିତ ପାପୁଲିରେ 
ସାରାଟା ପୃଥିବୀ ଗୋଟେ କାଗଜ ଗ୍ଲୋବ୍ର ଗପ । । 

© Kedar Mishra
Producción de Audio: Goethe Institut, 2016