ଗ୍ରୀଷ୍ମଗୀତ

ମୁଁ ଠିଆ ହୋଇଛି ମଂଚରେ
ଗାଇବି ବୋଲି
କେଇପଦ ଗୀତ ।

ଏ ଗୀତ, ସଜନାକାଠରେ କାଠହଣା ଚଢେଇର 
ଠକ୍ ଠକ୍ ପରି
ଥଣ୍ଡା ଚୁଲି ଝିଁକାରେ ନିପାଣିଆଁ
ଭାତହାଣ୍ଡି ପରି
ଏ ଗୀତ, ଥନରୁ ବଞ୍ଚିତ ଅନେକ
ଛେଉଣ୍ଡ କାନ୍ଦରେ ଗଢା
ଏ ଗୀତ, ଖରାଝାଉରେ ତରଳୁଥିବା
ପଂଜରାହାଡ ବିଡା ।

ଶବ ଗହଳିରୁ ଛାଣି ଆଣିଛି
ଆଶ୍ଚର୍ଯ୍ୟ ବିରଳ କେଇପଦ ନିଃଶ୍ୱାସ ପ୍ରଶ୍ୱାସ
ଆସ, ମୋର ଗୀତ ଶୁଣିବ ଆସ ।

ଥାଏ, ଠନ୍ ଠନ୍ ଶୁଖିଲା-ବନ୍ଧ୍ୟା ମାଟିର ମୁଲକ
ଥାଏ, ଢିମା ଢିମା କଳାପାହାଡର ପ୍ରଗଣା
ଥାଏ, ମଲାଜଙ୍ଗଲ ଲମ୍ବା, ଶିରାଳ ଅତୀତ
ଥାଏ, କୋଟି କୋଟି ଫିମ୍ପିମରା ଡାଅ ।ଣିଅ ।ଁ ପେଟ ।

ଶୁଖିଲା ବାମ୍ଫିର ଜଠରରୁ ଉଭାହୁଏ
ଏକ ଦରମୂର୍ଚ୍ଛିତ ପଦ୍ମକଢ
ଥାଏ, ଥାଏ, ପଦ୍ମକେଶରରେ
ଆଶ୍ଚର୍ଯ୍ୟ ବିରଳ ସେଇ ସଙ୍ଗୀତ ।

ଏ ଗୀତ ମୋର ନୁହେଁ
ଏ ଗୀତ ମୁଁ ଗାଉନାହିଁ
ଏ ଗୀତର ଅଗ୍ନିଶିଖା ମୋତେ ଜାଳୁଛି
ମୋ ଆତ୍ମାର କୁହୁଳା ଇଏ
ତମକୁ ଗୀତପରି ଶୁଭୁଛି ।–

© Kedar Mishra
Producción de Audio: Goethe Institut, 2016