ଗୋଠିଆଲେନ୍

ଠକ୍... ଠକ୍... ଠକ୍.... ଠକ୍.... 
ହେଇ! 
ହୁଏତ ଆସିଗଲେ ମଣିମା! 
ତାଙ୍କ ଡାକ ଶବ୍ଦ ଶୁଭୁଛି 
କବାଟ ପିଟିବାର 
ଆମନ୍ତ୍ରଣ ଶୁଭୁଛି 
ଚୁପି ଚୁପି ଆର୍ତ୍ତ ଚିକ୍ରାରର । 
ଯୁଦ୍ଧଖୋର ଘୋଡ଼ାମାନେ 
ଲାଜକୁଳୀ ଲତା ପରି ସେମ୍ଟି ଯିବେ,
ପାପୁଲି ଭର୍ତ୍ତି ଘୋଡ଼ାଶାଳ ମଇଳା 
ଥମିଯିବ,
ରକ୍ତ ସଞ୍ଚାଳନ ଶିରା ପ୍ରଶିରାରେ 
ବନ୍ଦ ହେଇ ଉଠିବ । 

ଠକ୍... ଠକ୍.... ଠକ୍.... ଠକ୍.... 
ସିଏ କାନ୍ଦି ପାରିବନି ଯେ 
କାଳେ କାନ୍ଥମାନେ ଶୁଣି ଦେବେ 
କଠ୍ଲି ବି ପାରିବନି ଯେ 
କାଳେ ଛାତିର ମାଂଶପେଶୀ ଫଟେଇ 
କଲିଜା ବାହାରି ପଡିବ,

ଏଇ ସମୟରେ କେହି ଜଣେ 
ଦଶଟି ଘୋଡ଼ା ବାନ୍ଧି 
ଦେହଟାକୁ ଚିରିଫାଡ଼ି 
ମାଟିରେ ମିଶେଇ ଦିଅନ୍ତା କି 
ଅନ୍ତତଃ ଗୋଟିଏ ଘୋଡ଼ାର ବଳ ଖଞ୍ଜି 

ପାଚେରୀ ଫଟେଇ 
ଜଙ୍ଗଲକୁ ଡେଇଁ ପଳେଇବାର 
ବାଟ ଦେଖାନ୍ତା କି । 

ଠକ୍... ଠକ୍.... ଠକ୍.... ଠକ୍.... 
ଏ ଆମନ୍ତ୍ରଣ ଏଡେଇ ହେବନି 
ଏଡେଇ ପାରିବନି,
ବରଂ କୁହ 
ଏଡେଇବା ସମ୍ଭବ ହୋଇନି,

ସିଏ ଧୀର କିନା କବାଟ ଖୋଲିବ,
ଏ ପାହାନ୍ତା ପହର 
କେତେ ଉକିଆ କେତେ ଅନ୍ଧାର 
ପରଖିବା ପୂର୍ବରୁ 
ମଣିମାଙ୍କ ନିଃଶ୍ୱାସର ଝାଞ୍ଜି 
ଦେହରେ ବାଜୁଥିବ । 

ତା’ ଜିଭରେ ସେତେ ବଡ଼ ହାଡ଼ଟିଏ କାହିଁ?
ଅନ୍ତତଃ ଯିଏ କହିପାରିବ 
ଛି... ମଣିମା... ଛି.... 
ତମ ପାଟରାଣୀ 
ତମ ଗଜଦନ୍ତ ପଲଙ୍କ 
ତମ ମହମହ ବାସ୍ନାୟିତ ଉଆସ 
ଯେଉଁଠି ଉଛୁଳି ପଡୁଛି 
ଶୃଙ୍ଗାର ରସ 
ସବୁ ଛାଡିଦେଇ କେମିତି ଆସିଲେ 
ଏଠିକି?

ଦେଖତ 
ଘୋଡ଼ାଶାଳର ଉକ୍ରଟ ଗନ୍ଧରେ 
ନିଃଶ୍ୱାସ ନେଇ ହେଉନି 
ମୁଁ ତ’ ମଇଳା ଫିଙ୍ଗୁଥିବା ନୀଚଜାତି ଚାକରାଣୀ । 
ଦୁର୍ଭାଗ୍ୟ 
ତା’ ଜିଭକୁ ଏତେ ବଡ଼ 
ଶକ୍ତ ହାଡଟିଏ ମିଳିପାରିନି । 
ମଣିମା ନିକଟେଇ ଯିବେ 
ଭିଡ଼ି ଧରିବେ ଛାତି, ପିଠି, ପିଚା,
ରାମ୍ପି ବିଦାରି ଫିଙ୍ଗି ଦେବେ 
ତା’ ବିରିଫୁଲିଆ ଗଣା କପ୍ଟା,
ଓଦା ମାଟିକୁ ଜିଆ ପରି 
ଚାଟି ଯିବେ 
ନାଭି, ଜଂଘ ଓ ଯୋନୀ 
ସିଏ କାନ୍ଦି ପକେଇବ 
କାନ୍ଦିବ ଏଇଥିପାଇଁ ନୁହେଁ ଯେ 
ଯନ୍ତ୍ରଣାରେ ବରଂ 
ଆହା ପଣରେ,
ସିିସ୍କେଇ ଉଠିବ ପ୍ରଖରତାରେ,
ଭାବିବ 
କ’ଣ ଥାଏ ଏ ମାଟି ସର ସର ଦେହରେ,

ଦେଖତ! 
ମଣିମା କେମିତି କଇଁ କଇଁ ହେଇ 
ପୋଢ଼ଟିଏ ପରି 
ଘୋଡ଼ା ଶାଳର କାଦୁଅରେ 
ଗଡ଼ି ଯାଉଛନ୍ତି,
ତା’ ଝାଳ ସରସର ଦୁର୍ଗନ୍ଧଯୁକ୍ତ 
ଅସ୍ପୃଶ୍ୟ ମାଂସପେଶୀକୁ ଚିପୁଡ଼ି 
ରକ୍ତ ନିଗାଡ଼ୁଛନ୍ତି,

ଏତେ କଥା ବୁଝେଇ ପାରୁନଥିବା 
ନାରୀଟିଏ ବୋଧେ ଚାକରାଣୀ 
ଏତେ କଥା ବୁଝିପାରି ନଥିବା 
ନାରୀଟିଏ ବୋଧହୁଏ ପାଟରାଣୀ,

ଫର୍ଚ୍ଚା ହୋଇ ଉଠିବ ଦିନ 
କା... କା... କରି ରାବି ଚାଲିଥିବେ କାଉ 
କିଚିରି ମିଚିରି କରି 
ବସା ଛାଡି ସାରିଥିବେ ଚଟିଆ 
ରାତି୍ର ଜଗୁଆଳୀ ଦରୁଆନ ଫେରୁଥିବ 
ଆଖି ମଳି ମଳି 
ପହ୍ନା ଫୁଲେଇ ହମ୍ମା... ହମ୍ମା... 
ରଡ଼ି ଛାଡୁଥିବ ଗାଈ । 

ସିଏ ସଳଖେଇ ନେବ ଅଣ୍ଟା 
ଦେହରେ ଢ଼ାଙ୍କି ହେଇ ସାରିଥିବ 
ବିରିଫୁଲିଆ ଗଣା କପ୍ଟା । 

ମଣିମା! 
ଦରବାରରେ ବସି ବିଚାର କରୁଥିବେ 
ଅନ୍ତସତ୍ତ୍ୱା ନାରୀଟି 
ଘୋଡ଼ାଶାଳ ମଇଳା ବୋହି ଗଲା ବେଳେ 
ଯେବେ ସୈନିକ ଜଣକ ପଚାରିଦେବ,

ସିଏ ଥଙ୍ଗେଇ ଥଙ୍ଗେଇ ଉତ୍ତର 
ଦେବ “ମଣିମା”
ତା’ପରେ ସବୁ ଓଲଟ ପାଲଟ । 

ରାଜାଙ୍କ ନାଁରେ ଏଭଳି ଅପବାଦ ଶୁଣି 
ଦୌଡ଼ି ଆସିବେ ସୈନ୍ୟ, ସାମନ୍ତ 
ଚାକରା, ଚାକରାଣୀ 
ନରିଆ, ନରେନ୍ 
ଗର୍ଜି ଉଠିବ ଘୋଡ଼ାର ଟାପୁ 
ମଣିଷ ବାଘର ହେଣ୍ଟାଳ 
ଦଂଶନର ଉଡ଼ନ୍ତା ମୁଦ୍ରାରେ ଚାବୁକ୍ 
ପ୍ରାଣ ବିକଳରେ ଦୌଡ଼ି ଯାଇ 
ଗାଈ ଗୋଠ ଭିତରେ ପଶି 
ସିଏ ପ୍ରାଣ ହରେଇଥିବ 
ମଣିମାଙ୍କ ଦରବାର ନ ସରୁଣୁ 
ଏକ ସାଧାରଣ, ସ୍ୱାଭାବିକ ପରିସ୍ଥିତିରେ 
ନାରୀଟି ଗଣା ସମାଜର ଏକ ‘ଡୁମା’ ପାଲଟି ସାରିଥିବ 
ଏପରିକି 
‘ଗୋଠିଆଲେନ୍’ ଦେବୀ ନାମରେ 
ନାମିତ ହୋଇ ସାରିଥିବ । 

ଏକ ଗୁରୁ ଗମ୍ଭୀର ବାତାବରଣରେ 
ଦରବାର ସେଇମିତି ଚଳ ଚଞ୍ଚଳ ଥିବ 
ଅଥଚ ମଣିମାକୁ ରାଜପ୍ରାସାଦର ଘଟଣା ସବୁ 
କିଛି ବୋଲି କିଛି ଗୋଚର ନଥିବ 
କିଛି ବୋଲି କିଛି ଗୋଚର ନଥିବ । 

© Basudev Sumani
Audioproduktion: Goethe Institut, 2016